ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ- ୨୦୨୪ ପାଳିତ

Spread the love

ଜଗତସିଂହପୁର,ତା ୨୯.୧୦.୨୪ ରିଖ(ଆୱାଜେ ହିନ୍ଦ) :- ଆଜି ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ୧୯୯୯ ମହାବାତ୍ୟା ର ବିଭୀଷିକା ବର୍ଣ୍ଣନା କରି ଉପସ୍ଥିତ ଜନତାଙ୍କୁ ଆଗାମୀ ଯେ କୌଣସି ବିପର୍ଯ୍ୟୟ ପାଇଁ ସଜାଗ ରହିବାକୁ ଆହ୍ଵାନ ଦେଇଥିଲେ। ଅତି ନିକଟ ରେ ଆସିଥିବା ବାତ୍ୟା “ଦାନା” ର ସଫଳ ପରିଚାଳନା ପାଇଁ ସେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଥିଲେ। ସଚେତନତା ହିଁ ସତର୍କତା ର ଚାବିକାଠି, ଆଜି ଓଡିଶା ବିପର୍ଯ୍ୟୟ ରେ ଦେଶର ପ୍ରମୁଖ ରାଜ୍ୟ ଭାବରେ ପରିଗଣିତ ଏବଂ ଜିରୋ କାଜୁଆଲିଟି ସହ ଜିରୋ ଟଲେରାନ୍ସ ଓଡିଶା ସରକାରଙ୍କ ଆହ୍ଵାନ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଶ୍ରୀ ବିଭୁ ପ୍ରସାଦ ତରାଇ ବର୍ତ୍ତମାନ ବିପର୍ଯ୍ୟୟ ପ୍ରସ୍ତୁତି ରେ ରୂପାନ୍ତରଣ ହୋଇଛି।ଓଡିଶା ଆଜି ସାରା ବିଶ୍ବରେ ବିପର୍ଯ୍ୟୟ ପ୍ରସ୍ତୁତି ରେ ରୋଲମଡେଲ ହୋଇଛି।ଜିଲ୍ଲା ସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତେ ସଜାଗ ଓ ସଚେତନ ରହିଲେ ବିପର୍ଯ୍ୟୟ କୁ ପ୍ରତିହତ କରିହେବ ବୋଲି ସେ କହିଥିଲେ ।

ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ସତର୍କ, ସଜାଗ ଏବଂ ସାହସ ହିଁ ସମସ୍ତ ବିପର୍ଯ୍ୟୟ ର ସମାଧନ ବୋଲି କହିଥିଲେ। ଓଡିଶା ସରକାରଙ୍କ ଜିରୋ କାଜୁଆଲିଟି ସହ ଜିରୋ ଟଲେରାନ୍ସ ଆମର ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ବାତ୍ୟା ଦାନା ର ପ୍ରଭାଵ ଜିଲ୍ଲା ପାଇଁ କମ ଥିଲେ ମଧ୍ୟ ଯେଉଁଭଳି ଭାବେ ତାହାର ସଫଳ ପରିଚାଳନା କରଯାଇଛି, ସେ ନେଇ ଶ୍ରୀ ଦାସ ଜିଲ୍ଲାପାଳ ତଥା ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।ସେ ସମସ୍ତ ବିଭାଗ ଯେପରି ଓଡ୍ରାଫ୍, ଆପଦ ମିତ୍ର, ଅଗ୍ନିଶମ,ସ୍ବେଚ୍ଛାସେବୀ ସ°ଗଠନର ସଦସ୍ୟ ମାନଙ୍କୁ ସେମାନଙ୍କର ସାହସିକତା ପାଇଁ ଧନ୍ୟବାଦ ଜଣାଇଥିଲେ।

ସଭା ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ବିପର୍ଯ୍ୟୟ ର ମୁକାବିଲା ପ୍ରତ୍ୟେକ ଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି କହିଥିଲେ। ଆଜି ପଡୋଶୀ ରାଜ୍ଯ ମାନଙ୍କରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ଉଦାହରଣ ସୃଷ୍ଟି କରିଛି ଏବଂ ଜଗତସିଂହପୁର ଜିଲ୍ଲା ଏହି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛି। ବାତ୍ୟା ଦାନା ସମୟ ରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ପୌର ପରିଷଦ ସମସ୍ତେ ଏ ନେଇ ସଚେତନ ଓ ସଜାଗ ରହିବା ଫଳରେ ଏହି ଦୁର୍ବିପାକ କୁ ସଫଳତା ର ସହ ମୁକାବିଲା କରାଯାଇପାରିଛି ।ଜଗତସିଂହପୁର ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ହୋଇଥିବାରୁ ପ୍ରଶାସନ ସବୁବେଳେ ଦୃଢତାର ସହ ଏହାର ସାମନା କରିବାକୁ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ପୌର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ମହାବାତ୍ୟା ର କରାଳ ରୂପକୁ ମନେପକାଇ ଉପସ୍ଥିତ ଜନତାଙ୍କୁ ପରିବେଶ ସଚେତନତା ର ବାର୍ତ୍ତା ଦେଇ ସତର୍କତା ଓ ସହଭାଗୀତା ହିଁ ସମସ୍ତ ବିପର୍ଯ୍ୟୟ ର ସମାଧାନ ବୋଲି କହିଥିଲେ।

ସକାଳ ୮.୩୦ ମି ରେ ଏହି ଅବସରରେ ଏକ ସଚେତନତା ମାରାଥନ ଶୋଭାଯାତ୍ରା ସର୍କିଟ ହାଉସ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା କୁ ମାନ୍ୟବର ମନ୍ତ୍ରୀ, ଶିଳ୍ପ,ଦକ୍ଷତା ବିକାଶ, ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ,ଜିଲ୍ଲାପାଳ ଶ୍ରୀ ଜେ ସୋନାଲ,ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ଶୋଭାଯାତ୍ରାରେ ସିଭିଲ ଡିଫେନ୍ସ,ଓଡ୍ରାଫ୍, ଆପଦ ମିତ୍ର, ଅଗ୍ନିଶମ,ସ୍ବେଚ୍ଛାସେବୀ ସ°ଗଠନର ସଦସ୍ୟ , ଏସ ଏଚ ଜି ମା ମାନେ,ରେଡକ୍ରସ ଛାତ୍ରଛାତ୍ରୀ ଅ°ଶଗ୍ରହଣ କରିଥିଲେ। ଅତିଥିମାନେ ଶୋଭାଯାତ୍ରା ରେ ଆସି ପ୍ରଥମେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ସ୍ମୃତି ସ୍ତମ୍ଭ, ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

ସଭାରେ ୧୯୯୯ ମହାବାତ୍ୟା ର କରାଳ ଦୃଶ୍ୟ ସହ ଏହା ପରବର୍ତ୍ତୀ ଜିଲ୍ଲା ରେ ବିପର୍ଯ୍ୟୟ ପ୍ରଶମନ ର ପ୍ରସ୍ତୁତି ଏବଂ ଜିଲ୍ଲା ରେ ବାତ୍ୟା ଦାନା ର ସୁପରିଚାଳନା ସମ୍ବଳିତ ଏକ କ୍ଷୁଦ୍ର ଚିତ୍ର ପ୍ରଦର୍ଶିତ ହୋଇଥିଲା। ଶେଷରେ ସିଭିଲ ଡିଫେନ୍ସ ଟିମ୍ ର ସଦସ୍ୟ ମାନେ ଆପଦ କାଳୀନ ଜରୁରୀ ସେବା ସମ୍ବନ୍ଧ ରେ ଲାଇଭ ଡେମୋ ଦେଇଥିଲେ।ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ସୁଶ୍ରୀ ସନ୍ଧ୍ୟାଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ କୁମାର ରାଉତ କାର୍ଯ୍ୟକ୍ରମ ସ°ଯୋଜନା କରିଥିଲେ। ସଭାର ପ୍ରାରମ୍ଭ ରେ ୧୯୯୯ ମହାବାତ୍ୟା ରେ ପ୍ରାଣ ହରାଇ ଥିବା ଅମୂଲ୍ୟ ଜୀବନ ମାନଙ୍କୁ ସମ୍ମାନ ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସଚେତନତା ର ବାର୍ତ୍ତା ଦେଇଥିବା ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା,ଓଡ୍ରାଫ୍ ଟିମ୍ ର ସଦସ୍ୟ, ଆପଦମିତ୍ର, ସିଭିଲ ଡିଫେନ୍ସ ର ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ,ସହରର ବରିଷ୍ଠ ବୁଦ୍ଧିଜୀବୀ , ଆଇନୀବୀ,ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା, ଡେପୁଟୀ କଲେକ୍ଟର ତୃପ୍ତିମୟୀ ପ୍ରଧାନ,ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,ଓ ପୌର ପରିଷଦ କର୍ମଚାରୀ, ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ଜରୁରୀ ବିଭାଗ କର୍ମକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

ଅପରାହ୍ନ ରେ ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ-୨୦୨୪ ପାଳନ ଅବସରରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମ ରେ ସମସ୍ତ ଜିଲ୍ଲା ସହ ଯୋଡ଼ିହୋଇ “ଆଗୁଆ ପଦକ୍ଷେପ ପାଇଁ ପ୍ରାକ୍ ସତର୍କ ସୂଚନା” ଏବର୍ଷ ର ଥିମ୍ ବୋଲି କହିଥିଲେ। ମହାବାତ୍ୟା ର ୨୫ ବର୍ଷ ପୂର୍ତ୍ତି ପରେ ଓଡ଼ିଶା ଆଜି ବିପର୍ଯ୍ୟୟ ପ୍ରସ୍ତୁତି ରେ ଅଗୁଆ ବୋଲି ସେ କହିଥିଲେ।ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ୪ଟି ଗ୍ରାମ କୁ ସୁନାମୀ ରେଡି ବା ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ। ସେହି ଗ୍ରାମ ଗୁଡିକ ହେଲା ବାଲିକୁଦା ବ୍ଲକ, ବଡମୁଣ୍ଡଳି ପଞ୍ଚାୟତ ର ବାଘେଇପୂର୍, ମରିଚପୂର୍ ପଞ୍ଚାୟତ ର ଧନୁହର ବେଲାରୀ, ଏରସମା ବ୍ଲକ ପଦମପୁର ପଞ୍ଚାୟତ ର ସାହାଡାବେଦୀ, ଗଡକୁଜଙ୍ଗ ପଞ୍ଚାୟତ ର ଭୂୟାଁପାଳ।

ସନ୍ଧ୍ୟାରେ ମହାବାତ୍ୟା ରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମାମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ମୃତି ସ୍ତମ୍ଭ ନିକଟରେ ସମୂହ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ବାଲିକୁଦା ଏରସମା, ଶ୍ରୀ ସାରଦା ପ୍ରସନ୍ନ ଜେନା, ମାନ୍ୟବର ବିଧାୟକ ତିର୍ତ୍ତୋଲ, ଶ୍ରୀ ରମାକାନ୍ତ ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ପୌର ଅଧ୍ୟକ୍ଷା, ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ,ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ପପାଳ ଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ସହର୍ ର ବୁଦ୍ଧଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରିଥିଲେ। ଜଗତସିଂହପୁର ରୁ ଶେଖ ରିୟାଜ ଉଦ୍ଦିନ ଙ୍କ ରିପୋର୍ଟ୍ ଆୱାଜେ ହିନ୍ଦ

Leave a Reply

Your email address will not be published. Required fields are marked *